ଭାଲେଣ୍ଟାଇନ୍ ଦିବସ ପାଇଁ ନେପାଳରେ ନାଲି ଗୋଲାପର ଚାହିଦା ବଢ଼ିଯାଇଛି। କିନ୍ତୁ ନେପାଳରେ ଆବଶ୍ୟକ ମାତ୍ରାରେ ଗୋଲାପ ନାହିଁ। ଏଥିପାଇଁ ନେପାଳକୁ ଭାରତ ଉପରେ ନିର୍ଭର କରିବାକୁ ପଡ଼ୁଛି। ନେପାଳ ଫୁଲଚାଷ ସଂଘର ସଭାପତି ବାହାଦୁର ତମାଙ୍ଗ କହିଛନ୍ତି, ଦେଶରେ ନାଲି ଗୋଲାପର ଚାହିଦା ୩ ଲକ୍ଷ ୫୦ ହଜାରରେ ପହଞ୍ଚିଛି। ମୋଟ ଚାହିଦାର ପ୍ରାୟ ୧୦ ପ୍ରତିଶତ ଦେଶରେ ମିଳୁଛି। ତେଣୁ ୯୦ ପ୍ରତିଶତ ଗୋଲାପ ଆମେ ଭାରତରୁ ଆମଦାନି କରୁଛୁ।
ନେପାଳକୁ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ କୋଲକାତାରୁ ହିଁ ଅଧିକାଂଶ ନାଲି ଗୋଲାପ ଆସୁଥିବା ସେ କହିଛନ୍ତି। ଗୋଟିଏ ନାଲି ଗୋଲାପର ମୂଲ୍ୟ ୮୦ରୁ ୧୦୦ ଟଙ୍କା। ନେପାଳକୁ ଆମଦାନି ହେଉଥିବା ପ୍ରାୟ ୬୦ ପ୍ରତିଶତ ଗୋଲାପ କାଠମାଣ୍ଡୁରେ ବିକ୍ରି ହୋଇଥାଏ। ଅବଶିଷ୍ଟ ଗୋଲାପ ରାଜଧାନୀ କାଠମାଣ୍ଡୁ ବାହାରକୁ ଯାଇଥାଏ। ଭାଲେଣ୍ଟାଇନ୍ ଦିବସରେ ଗୋଲାପ ବ୍ୟବସାୟ ୩୦.୫୦ ନିୟୁତ ଟଙ୍କା ଅତିକ୍ରମ କରିଯିବ ବୋଲି ସେ କହିଛନ୍ତି। ନେପାଳରେ ବ୍ୟବସାୟୀମାନେ ସ୍ବାଭାବିକ ଦିନଗୁଡ଼ିକରେ ୮ରୁ ୧୦ ହଜାର ଗୋଲାପ ବିକ୍ରି କରିଥାନ୍ତି।